ଜୀବନ,
ଏକ ଭଙ୍ଗା କୁଡିଆ ଭିତରେ ଜଳୁଥିବା ସୁଖ
ଅଜଣା ଲମ୍ବା ନିର୍ଭୁଲ ରାସ୍ତା
ମରୁଭୂମିର ସେ ତାତି
ରାତିର କୋହ ଯାହା ଝରିଯାଏ ବର୍ଷା ହେଇ
ଅଙ୍କୁରିତ ଆତ୍ମା ଖୋଜୁଥିବା ସଠିକ ପରିଚୟ
ଅଗ୍ନିରେ ଝାସ ଦେଉଥିବା ପତଙ୍ଗର ଲୁହ
ବାଟୋଇକୁ ଖାଲ ଢିପ ତ କେବେ ଅଙ୍କାବଙ୍କା ଘାଟି
ମୃତ୍ୟୁର ସାଧକକୁ କ୍ଷଣେ ଆୟୁଷ
ଏକ ଅଲିଅଳି କଅଁଳ କନ୍ୟାର ଅବଶୋଷ
ବୃଦ୍ଧତ୍ବ ଡରାଉଥିବା ଏକ କଅଁଳ ପତ୍ର
ପୁଣ୍ୟଆତ୍ମାର ଭାଗ୍ୟ, ପାପରୁ ବୋଝ।
ଯୌବନ,
ଗର୍ବିର ଏକ ପରିଚୟ, ସମୟର ଦାସ
ଋତର ପରିବର୍ତ୍ତନରେ ରଙ୍ଗ ବଦଳୁଥିବା ପତ୍ର
ପ୍ରେମିକା ଠୁ ମାଗିଆଣିଥିବା ସମୟ
ଜିତିବାର ଇଚ୍ଛା ରଖୁଥିବା ଶକ୍ତି
ଶୀତୁଆ ସକାଳର କଅଁଳ ଖରା, ରାତି ଅଧର ଜହ୍ନ
ପ୍ରତ୍ୟେକ କାହାଣୀର ଆରମ୍ଭ।
ମୃତ୍ୟୁ,
କଅଁଳ ବର୍ଷାର ତାଣ୍ଡବ
ଝଡିପଡୁଥିବା ଶୁଖିଲା ପତ୍ର
ଆଶାର ଏକ ଅଭିନ୍ନ ରୂପ
ଶୁଖିଲା ଶିଉଳୀର ବୟସ
ଲାଭ କ୍ଷତିର ହିସାବରୁ ଓହରିଥିବା ଜୀବନ
ଆପଣାପରର ପାର୍ଥକ୍ୟରୁ ମୁକ୍ତ
ଜୀବନ ସଙ୍ଗେ ଲୁଚକାଳି ଖେଳୁଥିବା ଆୟୁଷ।
-